ଓଡିଆନ୍ ନ୍ୟୁଜ

136

କାନପୁର ଦିନିକିଆ ସହ ସିରିଜ୍ ଜିତିଲା ଭାରତ

Team Odian News |

କାନପୁର ଦିନିକିଆ ସହ ସିରିଜ୍ ଜିତିଲା ଭାରତ
କାନପୁର,୩୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ଓପ୍‌ନର ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିରୋଧରେ ଦିନିକିଆ ସିରିଜ୍‌ ଜିତିଛି ଘରୋଇ ଭାରତ । ରବିବାର ଖେଳା ଯାଇଥିବା ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ପରାସ୍ତକରି ଭାରତ ଏହି କୃତିତ୍ୱ ହାସଲ କରିିଛି । ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟ ହରାଇ ୩୩୭ ରନ୍‌ କରିଥିଲା । ପରେ କଲିନ୍‌ ମନ୍‌ରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ କେନ୍‌ ୱିଲିୟମ୍‌ସନ୍‌ ଓ ଟମ୍‌ ଲାଥାମ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନ୍ୟୁଜିଲାଣ୍ଡ ୭ ୱିକେଟରେ ୩୩୧ ରନ୍‌ କରି ପାରିଥିଲା । ଏହି ବିଜୟ ଫଳରେ ଦିନିକିଆ ସିରିଜ୍‌କୁ ୨-୧ରେ ଭାରତ ଜିତିନେଇଛି ।

ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୩୮ ରନ୍‌ର ବିଜୟଲକ୍ଷ୍ୟ ଥିବା ବେଳେ ପ୍ରଥମ ଓଭର ବୋଲିଂ କରିଥିବା ଭୁବନେଶ୍ୱର କୁମାରଙ୍କୁ ୧୯ ରନ୍‌ ମାରି କଲିନ୍‌ ମନ୍‌ରୋ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ମନ୍‌ରୋ ଗୋଟିଏ ପଟେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ କିନ୍ତୁ ମାର୍ଟିନ୍‌ ଗପ୍‌ଟିଲଙ୍କ ବ୍ୟାଟ୍‌ ଚାଲିନଥିଲା । ତଥାପି ମନ୍‌ରୋଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ନ୍ୟୁଜିଲାଣ୍ଡ ଓପ୍‌ନିଂ ଯୋଡ଼ିରେ ୫ ଓଭରରେ ୪୪ ରନ୍‌ କରିଥିଲା । ଗପ୍‌ଟିଲ ୧୪ ବଲ୍‌ରୁ ୧୦ ରନ୍‌କରି ଆଉଟ ହୋଇଥିଲେ । ଉଭୟ ମନ୍‌ରୋ ଓ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ବ୍ୟାଟ୍‌ ସିରିଜ୍‌ରେ ପ୍ରଥମଥର ଚାଲିଥିଲା । ଫଳରେ ଦ୍ରୁତଗତିରେ ୱିଲିୟମ୍‌ସନ୍‌-ମନ୍‌ରୋ ସ୍କୋର୍‌କୁ ଆଗେଇ ନେଇଥିଲେ । ୨ୟ ୱିକେଟ ପାଇଁ ପରବର୍ତ୍ତୀ ୧୯ ଓଭରରୁ ୧୦୯ ରନ୍‌ ହୋଇଥିଲା । ୟୁଜୁବେନ୍ଦ୍ର ଚହଲ ପୁଣିଥରେ ଭାରତର ଟ୍ରମ୍ପ୍‌କାର୍ଡ ପ୍ରମାଣିତ ହୋଇଥିଲେ ଏବଂ ଉଭୟଙ୍କୁ ଆଉଟ କରି ଦେଇଥିଲେ । ମାରାତ୍ମକ ନଜର ଆସୁଥିବା ମନ୍‌ରୋ ୬୨ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୭୫ ରନ୍‌ କରିଥିଲେ । ଏହାର ୪ ଓଭର ପରେ ଅଧିନାୟକ ୱିଲିୟମ୍‌ସନ୍‌ ଅର୍ଦ୍ଧଶତକ ପୂରଣ ପରେ ଚହଲଙ୍କ ୨ୟ ଶିକାର ହୋଇଥିଲେ । ୱିଲିୟମ୍‌ସନ ୮୪ ବଲ୍‌ରୁ ୮ଟି ଚୌକା ସହ ୬୪ ରନ୍‌ କରିଥିଲେ । ଏହି ୱିକେଟ ନ୍ୟୁଜିଲାଣ୍ଡକୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲା । ତେବେ ଫର୍ମରେ ଥିବା ଟମ୍‌ ଲାଥାମ୍‌ ଓ ରସ୍‌ ଟେଲର ୪ର୍ଥ ୱିକେଟ ପାଇଁ ଲଢ଼ୁଆ ୭୯ ରନ୍‌ ଯୋଡ଼ି ଦଳର ରନ୍‌ପିଛାକୁ ପୁଣି ଟ୍ରାକ୍‌କୁ ଆଣି ପାରିଥିଲେ । ୪୭ ବଲ୍‌ରୁ ୩ଟି ଚୌକା ସହ ୩୯ ରନ୍‌କରି ଟେଲର ଆଉଟ ହୋଇ ଯାଇଥିଲେ । ଶେଷ ୧୦ ଓଭରରୁ ୯୦ ରନ୍‌ ଆବଶ୍ୟକ ଥିବା ବେଳେ ଲାଥାମ୍‌ ଓ ହେନ୍‌ରି ନିକୋଲ୍‌ସ ୩୪ ବଲ୍‌୍‌ରେ ଦ୍ରୁତ ୫୯ ରନ୍‌ ଯୋଡ଼ିବାରୁ ବିଜୟଲକ୍ଷ୍ୟର ନିକଟବର୍ତ୍ତୀ ହୋଇଥିଲା ନ୍ୟୁଜିଲାଣ୍ଡ । ତେବେ ନିକୋଲ୍‌ସଙ୍କୁ ଆଉଟକରି ଯୋଡ଼ି ଭାଙ୍ଗିଥିଲେ ଭୁବନେଶ୍ୱର । ନିକୋଲ୍‌ସ ୨୪ ବଲ୍‌୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୭ ରନ୍‌ କରିଥିଲେ । ୪୮ତମ ଓଭରରେ ଲାଥାମ୍‌ ରନ୍‌ଆଉଟ ହେବା ନ୍ୟୁଜିଲାଣ୍ଡ ପାଇଁ ଶକ୍ତ ଧକ୍କା ଥିଲା । କ୍ରମାଗତ ୩ୟ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିବା ଲାଥାମ୍‌ ୫୨ ବଲ୍‌ରୁ ୭ଟି ଚୌକା ସହ ୬୫ ରନ୍‌ କରିଥିଲେ । ଶେଷ ୨ ଓଭରରୁ ୨୫ ରନ୍‌ ଆବଶ୍ୟକ ଥିବା ବେଳେ ଭୁବନେଶ୍ୱର ଓ ବୁମ୍‌ରା ନ୍ୟୁଜିଲାଣ୍ଡକୁ ବାନ୍ଧି ପାରିଥିଲେ ।

ନ୍ୟୁଜିଲାଣ୍ଡ ଟସ୍‌ ଜିତି ରନ୍‌ର ପିଛାକରିବା ନିଷ୍ପତ୍ତି ନେଇଥିଲା । ଶିଖର ଧାୱନ ୩ଟି ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ । ତେବେ ବିରାଟ କୋହଲି ଓ ରୋହିତ ଶର୍ମା ଆକର୍ଷଣୀୟ ଶତକ ହାସଲ କରିବା ସହ ୨ୟ ୱିକେଟ ପାଇଁ ୨୩୦ ରନ୍‌ର ଭାଗିଦାରୀ କରିବାରୁ ଘରୋଇ ଦଳ ୩୩୭ ରନ୍‌ରେ ପହଞ୍ଚି ପାରିଥିଲା । ଶେଷ ୧୦ ଓଭରରେ ନ୍ୟୁଜିଲାଣ୍ଡର ବୋଲର ଚମକ୍ରାର ପ୍ରଦର୍ଶନ କରି ମାତ୍ର ୮୫ ରନ୍‌ ଦେଇଥିବା ବେଳେ ୫ଟି ୱିକେଟ ମଧ୍ୟ ନେଇ ପାରିଥିଲେ । ଫଳରେ ଭାରତ ୩୫୦ ରନ୍‌ ଅତ୍ରିକମ କରି ପାରିନଥିଲା । ପ୍ରଥମେ ରୋହିତ ଓ କୋହଲି ଜଗିରଖି ଖେଳିବା ସହ ଦଳର ସ୍କୋର୍‌କୁ ଦେଢ଼ଶହ ଅତିକ୍ରମ କରାଇବା ପରେ ଗିଅର୍‌ ବଦଳାଇ ଆକ୍ରମଣ କରିଥିଲେ । ୩୬ରୁ ୪୦ ଓଭର ମଧ୍ୟରେ ଭାରତ ୫୬ ରନ୍‌ ନେଇ ପାରିଥିଲା । ୧୫ଶ ଦିନିକିଆ ଶତକ ପୂରଣ କରିବା ପରେ ଛକାମାରିବା ପ୍ରୟାସରେ ରୋହିତ ଶର୍ମା ଆଉଟ ହୋଇଥିଲେ । ମୁମ୍ବଇର ଏହି ଷ୍ଟାଇଲିସ୍‌ ଓପ୍‌ନର ୧୩୮ ବଲ୍‌ରୁ ୨ଟି ଛକା ଓ ୧୮ଟି ଚୌକା ସହ ୧୪୭ ରନ୍‌ କରିଥିଲେ । ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦିକ ପାଣ୍ଡ୍ୟା ଦ୍ରୁତ ରନ୍‌ ସ୍କୋର୍‌ କରିବାର ପ୍ରୟାସରେ କ୍ୟାଚ୍‌ ଦେଇ ଫେରିଥିଲେ । ପାଣ୍ଡ୍ୟା ୮ ରନ୍‌ କରିଥିଲେ । ପରେ କୋହଲି ଓ ମହେନ୍ଦ୍ର ସିଂହ ଧୋନି ୪ର୍ଥ ୱିକେଟ ପାଇଁ ୨୦ ବଲ୍‌୍‌ରୁ ୩୧ ରନ୍‌ ଯୋଡ଼ିଥିଲେ । କୋହଲି ଶତକ ପୂରଣ ପରେ ରନ୍‌ଗତି ବଢ଼ାଇବା ପ୍ରୟାସରେ ଲଙ୍ଗ୍‌ଅଫ୍‌ରେ କ୍ୟାଚ୍‌ ଦେଇଥିଲେ । ଚଳିତ ସିରିଜ୍‌ରେ ୨ୟ ଶତକ ହାସଲ କରିଥିବା କୋହଲି ୧୦୬ ବଲ୍‌ ଖେଳି ଗୋଟିଏ ଛକା ଓ ୯ଟି ଚୌକା ସହ ୧୧୩ ରନ୍‌ କରିଥିଲେ । ଧୋନି ୧୭ ବଲ୍‌ରୁ ୩ଟି ଚୌକା ସହ ୨୫ ରନ୍‌ କରିଥିଲେ । ଇନିଂସର ଶେଷ ବଲ୍‌ରେ ଆଉଟ ହୋଇଥିବା କେଦାର ଯାଦବ ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍‌ କରିଥିଲେ । ଏହି ମ୍ୟାଚ୍‌ରେ ସେମାନେ ଅଧିକ ଧିମା ବଲ୍‌ ପକାଇବାର ପ୍ରୟାସ କରିଥିଲେ । ଟିମ୍‌ ସାଉଦି, ଆଡାମ୍‌ ମିଲ୍‌୍‌ନେ ଓ ମିଚେଲ ସାଣ୍ଟ୍‌ନର ୨ଟି ଲେଖାଏଁ ୱିକେଟ ପାଇଥିଲେ ।