ଓଡିଆନ୍ ନ୍ୟୁଜ

161

ଆଜିଠାରୁ କେପ୍‌ଟାଉନ୍‌ ଟେଷ୍ଟ୍‌

Team Odian News |

ଆଜିଠାରୁ କେପ୍‌ଟାଉନ୍‌ ଟେଷ୍ଟ୍‌
କେପଟାଉନ,୫/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଅଠର ଆରମ୍ଭରୁ ଭାରତୀୟ କ୍ରିକେଟ୍‌ ଦଳ ଅଠାକାଠିରେ ପଡ଼ିଛି। ବିରାଟ ବାହିନୀ ସମ୍ମୁଖରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ନୂଆ ବର୍ଷର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଏବଂ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି। ଦୁର୍ଭାଗ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକାରେ ଭାରତ ଆଜି ପର୍ୟ୍ୟନ୍ତ ଗୋଟିଏ ହେଲେ ବି ଟେଷ୍ଟ ଶୃଙ୍ଖଳା ଜିତି ନାହିଁ। ସେଥିପାଇଁ ସଂପ୍ରତି ଲଗାତାର ୯ ଶୃଙ୍ଖଳାରେ ଅପରାଜିତ ଥିବା ଭାରତୀୟ କ୍ରିକେଟ୍‌ ଦଳ ଏବେ ଅସଲ ଶକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଯାହାର ଶୁଭାରମ୍ଭ କେପଟାଉନର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ହେବ। ଶକ୍ରବାରଠାରୁ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଖେଳାଯିବ। ଦେଢ଼ ମାସର ଦକ୍ଷିଣ ଆଫ୍ରିକା ଅଭିଯାନରେ ଭାରତୀୟ କ୍ରିକେଟ୍‌ ଦଳ ୩ ଟେଷ୍ଟ, ୬ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଳିବ। ତେବେ ଟେଷ୍ଟ ଶୃଙ୍ଖଳା ହିଁ ଟିମ୍‌ ଇଣ୍ଡିଆ ପାଇଁ ସମ୍ମାନର ପ୍ରଶ୍ନ ହେବ। ବିରାଟଙ୍କ ଯୁବ ଦଳ ଏବେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି। ସେଥିପାଇଁ ଏଥର ଗସ୍ତରେ ଇତିହାସ ବଦଳାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ହେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ଏବଂ ବାଉନ୍ସି ପିଚ୍‌ରେ ଏହି ଆଶା ପୂରଣ ହେବା ସେତେଟା ହେଲା ଭଳି ମନେ ହେଉ ନାହିଁ। ସେହିଭଳି ଦକ୍ଷିଣ ଆଫ୍ରିକା ପାଖରେ ଏକ ଦୁର୍ଦ୍ଧର୍ଷ ବୋଲିଂ ବାହିନୀ ଥିଲା ବେଳେ ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ ମଧ୍ୟରେ ଏହି ଦଳର ସର୍ବାଧିକ ସଂଖ୍ୟକ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ଘରୋଇ ପରିବେଶ ସହ ଅତୀତ ସଫଳତା ବି ଦକ୍ଷିଣ ଆଫ୍ରିକା ସପକ୍ଷରେ ଅଛି। ଭାରତ ପାଖରେ ମଧ୍ୟ ଏକ ଭଲ ଏବଂ ସନ୍ତୁଳିତ ଦଳ ରହିଛି। ସେଥିପାଇଁ ଶୁକ୍ରବାରଠାରୁ ବିଶ୍ୱ କ୍ରିକେଟ୍‌ର ଦୁଇ ମହାଶକ୍ତି ମଧ୍ୟରେ ହେବାକୁ ଥିବା ସିଂହ ଲଢ଼େଇକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଗତ ଶୃଙ୍ଖଳାକୁ ଅବଶ୍ୟ ଭାରତ ୩-୦ରେ ଜିତି ନେଇଥିଲା। ହେଲେ ୨୦୧୫ର ସେହି ଶୃଙ୍ଖଳା ଭାରତ ଘରୋଇ ମାଟିରେ ଖେଳିଥିଲା। ଏଣୁ ଘାଇଲା ଦକ୍ଷିଣ ଆଫ୍ରିକା ଏଥର ସେହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

ଭାରତ ପ୍ରଥମ ଟେଷ୍ଟ ପୂର୍ବରୁ ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ନପାଇବା ଦକ୍ଷିଣ ଆଫ୍ରିକାକୁ ଆହୁରି ଉତ୍ସାହିତ କରିଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ ବି ପ୍ରଥମ ଟେଷ୍ଟ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଇ ସାରିଛନ୍ତି। ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏଥି ନେଇ ବିଚଳିତ ନାହାନ୍ତି। ଭାରତ ପାଖରେ ଦକ୍ଷିଣ ଆଫ୍ରିକାକୁ ହରାଇବାର ଶକ୍ତି ଓ ସାମର୍ଥ୍ୟ ଅଛି ବୋଲି ସେ କହିଛନ୍ତି। ଶେଷ ଚାରି ଦିନିକିଆ ଟେଷ୍ଟରେ ଜିମ୍ବାେଓ୍ଵକୁ ଦକ୍ଷିଣ ଆଫ୍ରିକା ମାତ୍ର ଦୁଇ ଦିନରେ ଧୂଳି ଚଟାଇ ସାରିଛି। ଯାହା ଭାରତ ପାଇଁ ଅନ୍ୟଏକ ବିପଦ ସଂକେତ ହୋଇଛି।

ଷଷ୍ଠ ସ୍ଥାନକୁ ନେଇ ଦ୍ୱନ୍ଦ୍ୱ
ଷଷ୍ଠ ସ୍ଥାନରେ କିଏ ବ୍ୟାଟିଂ କରିବ? ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତ ପାଇଁ ଏହା ଏକ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ଏହି ସ୍ଥାନ ଲାଗି ଏବେ ହାର୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ଦାବିଦାର ଅଛନ୍ତି। ପାଣ୍ଡ୍ୟା ମାତ୍ର ୩ ଟେଷ୍ଟ ଖେଳିଥିଲା ବେଳେ ରୋହିତ ଭଲ ଲୟରେ ଅଛନ୍ତି। ହେଲେ ପାଣ୍ଡ୍ୟା ଦଳକୁ ପଞ୍ଚମ ବୋଲର ବିକଳ୍ପ ପ୍ରଦାନ କରିବେ। ରବୀନ୍ଦ୍ର ଜାଦେଜା ଜ୍ୱରରେ ପୀଡ଼ିତ ହେବା ପରେ ଆର ଅଶ୍ୱିନଙ୍କ ରୂପରେ ଭାରତ ମାତ୍ର ଜଣେ ସ୍ପିନରଙ୍କୁ ଖେଳାଇବାର ଅଧିକ ଆଶା ରହିଛି। ଶିଖର ଧାଓ୍ଵନ ସୁସ୍ଥ ହେବା ପରେ ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିବେ। ଯସପ୍ରୀତ ବୁମରା ଦକ୍ଷିଣ ଆଫ୍ରିକାରେ ପଦାର୍ପଣ କରିବା ଲକ୍ଷ୍ୟରେ ଥିଲେ ମଧ୍ୟ ପ୍ରଥମ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଏକବାର କମ୍‌। ସେଥିପାଇଁ ମହମ୍ମଦ ସାମି, ଭୁବନେଶ୍ୱର କୁମାର ଏବଂ ଈଶାନ୍ତ ଶର୍ମା ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ଅଂଶ ହେବେ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଶିଖର ଧାଓ୍ଵନ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା/ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଋଦ୍ଧିମାନ ସାହା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଈଶାନ୍ତ ଶର୍ମର୍ା।
ଭାରତକୁ ରୋକିବେ ମର୍କେଲ, ଫିଲାଣ୍ଡର ଓ ରବଦା ଦକ୍ଷିଣ ଆଫ୍ରିକା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବା ଦାୟିତ୍ୱ ତା’ର ତିନି ଦ୍ରୁତ ବୋଲର ଯୋଦ୍ଧା ମର୍ନି ମର୍କେଲ, ଭର୍ନାନ ଫିଲାଣ୍ଡର ଓ କିଗିସୋ ରବାଦାଙ୍କୁ ଦେବ। ଚତୁର୍ଥ ଦ୍ରୁତ ବୋଲର ଭାବେ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ଏବଂ ନବାଗତ ଆନ୍ଦିଲ ଫେହଲୁଖ୍ଵାଓ ଦଳରେ ରହିବେ। ନିୟମିତ ଓ୍ଵିକେଟ୍‌ ରକ୍ଷକ କ୍ୱିଣ୍ଟନ୍‌ ଡି’ କକ୍‌ ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ଓ୍ଵିକେଟ୍‌ ରକ୍ଷକ ଭାବେ ଖେଳିବେ। ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ ମଧ୍ୟକ୍ରମରେ ବ୍ୟାଟିଂ କରିବେ। ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ ଏକମାତ୍ର ସ୍ପିନର ଭାବେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। 

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁ’ ପ୍ଲେସିସ୍‌ (ଅଧିନାୟକ), ଡିନ୍‌ ଏଲଗାର, ଏଡେନ୍‌ ମାରକ୍ରମ, ହାସିମ ଆମଲା, ଏବି ଡିଭିଲିୟର୍ସ, ତେମ୍ବା ବୁଭାମା, କ୍ରିସ୍‌ ମୋରିସ୍‌/ଆନ୍ଦିଲ ଫେହଲୁଖ୍ଵାଓ, ଭର୍ନାନ ଫିଲାଣ୍ଡର, କାଗିସୋ ରବଦା, କେଶବ ମହାରାଜ, ମର୍ନି ମର୍କେଲ।