ଓଡିଆନ୍ ନ୍ୟୁଜ

146

ପୋଲାଣ୍ଡକୁ ବିଦାୟ ଦେଲା କଲମ୍ବିଆ

Team Odian News |

ପୋଲାଣ୍ଡକୁ ବିଦାୟ ଦେଲା କଲମ୍ବିଆ
କାଜାନ୍‍,୨୫/୬( ଓଡ଼ିଆନ୍‍ ନ୍ୟୁଜ୍‍ ): କାଜାନ୍‍ : ଚଳିତ ବିଶ୍ୱକପ୍‍ରୁ ପୋଲାଣ୍ଡକୁ ବିଦାୟ ଦେଇଛି କଲମ୍ବିଆ। ରବିବାର ଗ୍ରୁପ୍‍ ‘ଏଚ୍‍’ର ମ୍ୟାଚ୍‍ରେ ପୋଲାଣ୍ଡକୁ ୩-୦ ଗୋଲ୍‍ରେ କଲମ୍ବିଆ ପରାସ୍ତ କରିଛି। ପୂରା ମ୍ୟାଚ୍‍ରେ କଲମ୍ବିଆ ପ୍ରାଧାନ୍ୟ ବିସ୍ତାରକରି ଖେଳିବା ସହ ବିଜୟୀ ହୋଇଥିଲା। ୟେରି ମିନା, ରାଡାମେଲ ଫାଲ୍‍କାଓ ଓ ୟୁଆନ୍‍ କ୍ୱାର୍ଡ୍ରାଡୋ କଲମ୍ବିଆ ପାଇଁ ଏହି ୩ଟି ଗୋଲ୍‍ ସ୍କୋର୍‍ କରିଥିଲେ। ସେନିଗାଲ୍‍ଠାରୁ ପ୍ରଥମ ମ୍ୟାଚ୍‍ ହାରିଥିବା ପୋଲାଣ୍ଡ ପୁଣି ଏକ ପରାଜୟ ସହ ନକ୍‍ଆଉଟ ଦୌଡ଼ରୁ ବାଦ୍‍ପଡ଼ିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‍ରେ ଜାପାନଠାରୁ ହାରିଥିବା କଲମ୍ବିଆ ପ୍ରଥମ ବିଜୟ ପରେ ୩ ପଏଣ୍ଟ ସହ ଖାତା ଖୋଲିଛି। ଶେଷ ମ୍ୟାଚ୍‍ରେ ସେନିଗାଲ୍‍କୁ ପରାସ୍ତକଲେ କଲମ୍ବିଆ ପ୍ରିକ୍ୱାର୍ଟରଫାଇନାଲରେ ପହଞ୍ଚିବ।
ମ୍ୟାଚ୍‍ ଆରମ୍ଭରୁ ପୋଲାଣ୍ଡ ଅଧିକ ଆକ୍ରମଣ କରିଥିଲା। ୨ୟ ଓ ୩ୟ ମିନିଟରେ ପୋଲାଣ୍ଡକୁ ୨ଟି କର୍ଣ୍ଣର ମିଳିଥିବା ବେଳେ ଉଭୟ ପ୍ରୟାସ ବେକାର ହୋଇଥିଲା। ୫ମ ମିନିଟରେ ପୋଲାଣ୍ଡକୁ ଏକ ସୁଯୋଗ ମିଳିଥିଲା। ରବର୍ଟ ଲିୱାଣ୍ଡୋୱସ୍କିଙ୍କ ହେଡରକୁ କଲମ୍ବିଆ ଗୋଲ୍‍ରକ୍ଷକ ଡେଭିଡ୍‍ ଅସ୍ପିନା ରୋକି ଦେଇଥିଲେ। ପରେ କଲମ୍ବିଆ ଲୟକୁ ଫେରିଥିଲା ଏବଂ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲା। ୨୩ ମିନିଟରେ ପୋଲାଣ୍ଡ ଏକ ଗୋଲ ଅଭିମୁଖୀ ଆକ୍ରମଣ କରିଥିଲେ ହେଁ ପୋଲାଣ୍ଡ ଡିଫେଣ୍ଡର ବଲ୍‍କୁ ବାହାର କରି ଦେଇଥିଲେ। ଏହପରି କଲମ୍ବିଆ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୩୬ ମିନିଟରେ କଲମ୍ବିଆର ୟୁଆନ୍‍ କ୍ୱାର୍ଡ୍ରାଡୋ ଡାହାଣପଟୁ ବଲ୍‍ ନେଇ ପୋଲାଣ୍ଡର ୨ ଡିଫେଣ୍ଡକୁ ଚକ୍‍ମାଦେଇ ଗୋଲ୍‍କୁ କିକ୍‍ ମାରିଥିଲେ ହେଁ ପୋଲାଣ୍ଡ ଗୋଲ୍‍ରକ୍ଷକ ୱଜ୍‍ଚିଏଚ୍‍ ଜେଜେସ୍‍ନି ଏହାକୁ ବାହାର କରି ଦେଇଥିଲେ। ପରବର୍ତ୍ତୀ ମିନିଟରେ ଆଉ ଏକ ବଲ୍‍କୁ ରୋକିଥିଲେ। ତେବେ ୪୦ ମିନିଟରେ ପ୍ରଥମଥର ପୋଲାଣ୍ଡ ଗୋଲ୍‍ରକ୍ଷକ ଜେଜେସ୍‍ନି ପରାସ୍ତ ହୋଇଥିଲେ। କଲମ୍ବିଆର ଜେମ୍‍ସ ରଡ୍ରିଗ୍ୱେଜ ଗୋଲ୍‍ ସମ୍ମୁଖକୁ ବଲ୍‍ ଦେଇଥିବା ବେଳେ ସାଥୀ ଖେଳାଳି ୟେରି ମିନା ହେଡ୍‍କରି ଏହି ଗୋଲ୍‍ଟି ସ୍କୋର କରିଥିଲେ। କଲମ୍ବିଆ ପାଇଁ ୟୁଆନ୍‍ କ୍ୱାର୍ଡ୍ରାଡୋ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଏହାର ଗୋଲ୍‍ରକ୍ଷକ ଡେଭିଡ୍‍ ଅସ୍ପିନା ମଧ୍ୟ କିଛି ନିଶ୍ଚିତ ଗୋଲ୍‍ ବଞ୍ଚାଇଥିଲେ। ପ୍ରଥାମାର୍ଦ୍ଧରେ କଲମ୍ବିଆ ୧-୦ ଗୋଲ୍‍ରେ ଆଗୁଆ ରହିଥିଲା। ୪୮ ମିନିଟରେ ପୋଲାଣ୍ଡ ଏକ ସୁଯୋଗ ଛାଡ଼ିଥିବା ବେଳେ ୪୯ ମିନିଟରେ ଏକ ଥ୍ରୋ ଇନ୍‍ରୁ ପୋଲାଣ୍ଡର ତାରକା ରବର୍ଟ ଲିୱାଣ୍ଡୋୱସ୍କି ବଲ୍‍କୁ ଗୋଲ୍‍ପୋଷ୍ଟ ବାହାରକୁ ହେଡ୍‍ କରିଥିଲେ। ୫୧ ମିନିଟରେ ୟୁଆନ୍‍ କ୍ୱିଣ୍ଟେରୋଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲିଥିବା ବେଳେ ୫୨ ମିନିଟରେ କଲମ୍ବିଆର ତାରକା ଖେଳାଳି ରାଡାମେଲ ଫାଲ୍‍କାଓ ଗୋଲ୍‍ ସମ୍ମୁଖରୁ ପୋଷ୍ଟ ଉପରକୁ ମାରି ଦେଇଥିଲେ। ୫୮ ମିନିଟରେ ପୋଲାଣ୍ଡର ରବର୍ଟ ଲିୱାଣ୍ଡୋୱସ୍କି ପୁଣି ଏକ ସୁଯୋଗ ଛାଡ଼ିଥିଲେ। ତାଙ୍କର ସଟକୁ କଲମ୍ବିଆ ଗୋଲ୍‍ରକ୍ଷକ ଡେଭିଡ୍‍ ଅସ୍ପିନା ଡାଇଭ୍‍ମାରି ରୋକି ଦେଇଥିଲେ। ୭୦ ମିନିଟରେ ଏକ ଡିଫେନ୍‍ସଭେଦୀ ପାସ୍‍ରୁ କଲମ୍ବିଆ ଅଧିନାୟକ ରାଡାମେଲ ଫାଲ୍‍କାଓ ଦଳ ପାଇଁ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ବିଶ୍ୱକପ୍‍ରେ ଫାଲ୍‍କାଓଙ୍କ ଏହା ପ୍ରଥମ ଗୋଲ୍‍ ଥିଲା। ୭୫ ମିନିଟରେ କଲମ୍ବିଆ ୩ୟ ଗୋଲ୍‍ ଦେଇଥିଲା। ପୁଣିଥରେ ଡିଫେନ୍‍ସଭେଦୀ ପାସ୍‍ରୁ କଲମ୍ବିଆର ୟୁଆନ୍‍ କ୍ୱାର୍ଡ୍ରାଡୋ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ। ବିଶ୍ୱକପ୍‍ରେ ଏକ କ୍ୱାର୍ଡ୍ରାଡୋଙ୍କ ୨ୟ ଗୋଲ୍‍ ଥିଲା। ୨୦୧୪ ବିଶ୍ୱକପ୍‍ରେ ସେ ବ୍ରାଜିଲ ବିପକ୍ଷରେ ଗୋଲ୍‍ ଦେଇଥିଲେ।