ଓଡିଆନ୍ ନ୍ୟୁଜ

180

ଚତୁର୍ଦଶ ହକି ବିଶ୍ୱକପ୍‍ ଲାଗି ସମଗ୍ର ଓଡ଼ିଶା ଉତ୍ସବ ମୁଖର

Team Odian News |

ଚତୁର୍ଦଶ ହକି ବିଶ୍ୱକପ୍‍ ଲାଗି ସମଗ୍ର ଓଡ଼ିଶା ଉତ୍ସବ ମୁଖର
ଭୁବନେଶ୍ୱର ,୨୨/୧୧(ଓଡ଼ିଆନ୍ ନ୍ୟୁଜ୍): ଚତୁର୍ଦଶ ହକି ବିଶ୍ବକପ୍ ଲାଗି ସମଗ୍ର ଭାରତ ବର୍ଷ ଏବେ ଭୁବନେଶ୍ୱର ଚଳଚଞ୍ଚଳ। ଆୟୋଜକ ଓଡ଼ିଶା ଉତ୍ସବ ମୁଖର। ବିଶ୍ବକପ୍‌କୁ ସ୍ବାଗତ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ବି ବୋହୁ ଭଳିଆ ସଜେଇ ହେଉଛି। ଏଭଳି ସ୍ଥିତିରେ ବିଦେଶୀ ଦଳ ପହଞ୍ଚିବା ସ୍ଥାନୀୟ ହକି ମାହୋଲକୁ ଅହୁରି ମନ୍ତ୍ରମୁଗ୍ଧ କରିଛି। ବିଶ୍ବକପ୍‌ର ୧୬ ଦଳ ମଧ୍ୟରୁ ବୁଧବାର ଦୁଇଟି ବିଦେଶୀ ଦଳ ଯଥା ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ଓ ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଭୁବନେଶ୍ୱର ପହଞ୍ଚିଛନ୍ତି। ଆର୍ଜେଣ୍ଟିନା ଦଳ ସକାଳ ୯ଟାରେ ପହଞ୍ଚିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛି। ଦକ୍ଷିଣ ଆଫ୍ରିକା ରାତି ୯ଟାରେ ପହଞ୍ଚିଛି। ଏହି ଦଳ ଗୁରୁବାର ଅଭ୍ୟାସ ଆରମ୍ଭ କରିବାର ସମ୍ଭାବନା ରହିଛି। ବୁଧବାର ଆର୍ଜେଣ୍ଟିନା ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବାହାରକୁ ଆସିବା ପରେ ସ୍ଥାନୀୟ ହକି ପ୍ରେମୀ ଉତ୍ସାହର ସହ ସେମାନଙ୍କୁ ସ୍ବାଗତ କରିଥିଲେ। ରାତିରେ ଆସିଥିବା ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଦେଖିବା ଲାଗି ମଧ୍ୟ କିଛି ହକିପ୍ରେମୀ ଧୈର‌୍ୟ୍ୟର ସହ ଅପେକ୍ଷା କରି ରହିଥିଲେ। ପୂର୍ବରୁ କଳିଙ୍ଗ ହକି କଂପ୍ଲେକ୍ସରେ ବହୁ ମ୍ୟାଚ୍ ଖେଳିଥିବା ସହ ହକି ଇଣ୍ଡିଆ ଲିଗ୍‌‌‌ରେ ଓଡ଼ିଶା ଦଳ କଳିଙ୍ଗ ଲାନର୍ସର ପ୍ରତିନିଧିତ୍ବ କରିଥିବା ଗୋଞ୍ଜାଲୋ ପିଲାଟ ଆର୍ଜେଣ୍ଟିନା ଦଳର ପ୍ରମୁଖ ଆକର୍ଷଣ ଥିଲେ। ସୂଚନାଯୋଗ୍ୟ ଯେ ଆର୍ଜେଣ୍ଟିନା ପୂର୍ବରୁ କେ‌ବେ ବି ବିଶ୍ବକପ୍ ଜିତି ନାହିଁ। ସେଥିପାଇଁ ଭୁବନେଶ୍ୱରରେ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଏହି ଲାଟିନ୍ ଆମେରିକୀୟ ଦେଶ। ୨୦୧୪ରେ ନେଦରଲାଣ୍ଡର ହଗ୍‌ଠାରେ ଆୟୋଜିତ ବିଶ୍ବକପ୍‌ର ଗତ ସଂସ୍କରଣରେ ଆଜେର୍ଣ୍ଟିନା ବିଜେତା ଅଷ୍ଟ୍ରେଲିଆ ଏବଂ ଉପବିଜେତା ନେଦରଲାଣ୍ଡ ପଛକୁ ତୃତୀୟ ସ୍ଥାନରେ ରହିଥିଲା। ସେପଟେ ଷଷ୍ଠ ଥର ପାଇଁ ବିଶ୍ବକପ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ଦଶମ ସ୍ଥାନ। ଯାହାକୁ ଏହି ଦଳ ଆହୁରି ଭଲ କରିବା ଆଶାରେ ଓଡ଼ିଶା ଆସିଛି। ଉଭୟ ଦଳରେ କେତେକ ଦକ୍ଷ ଖେଳାଳି ଅଛନ୍ତି। ବିଷେଷ କରି ପିଲାଟ ଏବଂ ଲୁକାସ ଭିଲ୍ଲା ଭୁବନେଶ୍ୱର ଦର୍ଶକଙ୍କ ପାଖରେ ବେଶ୍ ପରିଚିତ।